ପାଞ୍ଚ ବର୍ଷ ହେଲା ଏହି ନାୟକଙ୍କ ସହ ନଜର ଆସିନାହାନ୍ତି ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ବିଗତ ୨୩ ବର୍ଷ ଧରି ନାୟିକା ଭାବେ ଅନେକ ସିନେମାରେ କାମ କରିଛନ୍ତି। ଏବେ ବି ନାୟିକା ଭୂମିକାରେ ନଜର ଆସୁଛନ୍ତି ସେ। ଗତବର୍ଷ ତାଙ୍କୁ ‘ତୁ ମୋ ଲଭଷ୍ଟୋରି୨’ ଓ ‘ନାୟକର ନାଆଁ ଦେବଦାସ’ ଭଳି ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।

ଅନୁ ଚୌଧୁରୀ ଶିଶୁ କଳାକାର ଭାବେ ବଧୂ ନିରୂପମା, ମମତା ମାଗେ ମୂଲ ଭଳି ଓଡ଼ିଆ ସିନେମାରେ ନଜର ଆସିଥିଲେ। ହେଲେ, ନାୟିକା ଭାବେ ଅନୁ ଚୌଧୁରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’ । ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଶୀର୍ଷାନନ୍ଦ ଦାସକାନୁନଗୋ ଏହାର ସଂଳାପ ରଚନା କରିଥିଲେ। ସ୍ବରୂପ ନାୟକ ଏହାର ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଅନୁ ଚୌଧୁରୀଙ୍କ ପ୍ରଥମ ଓଡ଼ିଆ ସିନେମା ‘ମା’ ଗୋଜବାୟାଣୀ’ ସୁପରଡୁପରହିଟ୍‌ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି।

ଇତିମଧ୍ୟରେ ଅନୁ ଓଲିଉଡର କେତେକ ଲୋକପ୍ରିୟ ନାୟକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ସୁନୀଲ୍ କୁମାର। ସେ ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ହରି ଭାଇ ହାରେନା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏହି ସିନେମାରେ ସୁନୀଲଙ୍କ ନାୟିକା ବନିଥିଲେ ଅନୁ ଚୌଧୁରୀ ।୨୦୦୪ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ପିଙ୍କି ପ୍ରଧାନ ଏବଂ ଶିଶୁ କଳାକାର ପ୍ରକୃତି ମିଶ୍ର ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ଦର୍ଶକ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ ନୂଆ ଯୋଡ଼ିକୁ ।


ଖାଲି ସେତିକି ନୁହେଁ ପରବର୍ତ୍ତୀ କାଳରେ ସୁନୀଲ୍‌-ଅନୁଙ୍କ ଯୋଡ଼ିଙ୍କୁ ନିଜ ସିନେମାରେ ନେବା ଲାଗି ଅନ୍ୟ ପ୍ରଯୋଜକମାନେ ବି ଆଗ୍ରହ ଦେଖାଇଥିଲେ, କାରଣ ଓଡ଼ିଆ ଛବି ‘ହରି ଭାଇ ହାରେନା’ ସୁପରହିଟ୍‌ ହୋଇଥିଲା ।

‘ହରି ଭାଇ ହାରେନା’ ପରେ ଏହି ଯୋଡ଼ି ଚକ୍ରଧର ସାହୁଙ୍କ ନିର୍ଦେଶିତ ‘ତୁମକୁ ପାରୁନି ତ ଭୁଲି’ ରେ ମଧ୍ୟ ନଜର ଆସିଥିଲେ ସୁନୀଲ-ଅନୁ ଯୋଡ଼ି। ଏହା ୨୦୦୭ରେ ରିଲିଜ୍‌ ହୋଇଥିଲା। ଶେଷ ଥର ଲାଗି ସୁନୀଲ୍‌ ଏବଂ ଅନୁ ଏକାଠି ନଜର ଆସିଥିଲେ ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ମାୟା’ରେ। ଉପରୋକ୍ତ ତିନିଟି ଛବି ପରେ ଏଦୁହେଁ ଅନ୍ୟ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି। ଅର୍ଥାତ୍ ପ୍ରାୟ ୫ ବର୍ଷ ହେବ ଅନୁ ଚୌଧୁରୀଙ୍କୁ ସୁନୀଲ କୁମାରଙ୍କ ସହ ବଡ଼ ପରଦାରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

The post ପାଞ୍ଚ ବର୍ଷ ହେଲା ଏହି ନାୟକଙ୍କ ସହ ନଜର ଆସିନାହାନ୍ତି ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ first appeared on Sambad.



from ବିଶେଷ – Sambad https://ift.tt/2HA4Xzg

Post a Comment

0 Comments