
ବି˚ଶ ଶତାବ୍ଦୀ ଆମେରିକାର ଏକ ଜଣାଶୁଣା ମନୋବିଜ୍ଞାନୀ ଥିଲେ ଆବ୍ରାହାମ୍ ମାସ୍ଲୋ। ମଣିଷର ମୁଖ୍ୟ ଆବଶ୍ୟକତାଗୁଡ଼ିକୁ ଶ୍ରେଣୀବଦ୍ଧ କରି ଏକ ପିରାମିଡ୍ ବା ମିନାର ଗଢ଼ିଥିଲେ। ତା’ର ପ୍ରଥମ ପାହାଚରେ ଅଛି ବଞ୍ଚି ରହିବା ପାଇଁ ଇଚ୍ଛା। ଏହିପରି ସାତଟି ପାହାଚର ଷଷ୍ଠ ପାହାଚରେ ଅଛି ନିଡ୍ ଟୁ ନୋ ବା ଜାଣିବା ପାଇଁ ଇଚ୍ଛା ଓ ଆବଶ୍ୟକତା। ଏହି ଇଚ୍ଛା ପ୍ରତ୍ୟେକ ମଣିଷ ମଧୢରେ ଲୁକ୍କାୟିତ ଭାବରେ ଥାଏ ଏବ˚ ମଣିଷକୁ ଅଧିକ ଜାଣିବା, ଶୁଣିବାକୁ ପ୍ରେରିତ କରିଥାଏ। ସେଇ ସହଜାତ ପ୍ରବୃତ୍ତି ଆମକୁ କହିବା ଶୁଣିବା, ଜାଣିବା ଜଣାଇବା, ଦେଖିବା ଦେଖାଇବା, ପଢ଼ିବା ପଢ଼ାଇବା ଓ ଗବେଷଣା ପାଇଁ ପ୍ରେରିତ କରେ। ସେଇ କାରଣରୁ ଆମେ ବହି, ପତ୍ର, ପତ୍ରିକା, ଖବରକାଗଜ ପଢ଼େ, ରେଡିଓ ଶୁଣେ, ଟିଭି ଦେଖେ ଓ କିଛି ନ ଥିଲେ ପଚାରି ବୁଝେ। ଜାଣିବାକୁ ବ୍ୟସ୍ତ ହୋଇପଡ଼େ। ବନ୍ୟା, ବାତ୍ୟା, ପାଣିପାଗ ସମ୍ପର୍କରେ ପୂର୍ବାନୁମାନ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା ହୁଏ। ବିଭିନ୍ନ ଦେଶ ଖବର ସ˚ଗ୍ରହ ପାଇଁ ଗୁପ୍ତଚର ବିଭାଗ ଖୋଲିଥାନ୍ତି। ସୂଚନା ଓ ପ୍ରସାରଣ ଆଧୁନିକ ସରକାରମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ। ପ୍ରାଚୀନ ଭାରତରେ ଯାତ୍ରା, ନାଟକ, ପାଲା, ଦାସକାଠିଆ, ଅପେରା, ଭାଟମାନେ ଏହି ଆବଶ୍ୟକତା ପୂରଣ କରୁଥିଲେ। ଅଧିକା˚ଶ ନାଗରିକ ନିରକ୍ଷର ଥିବାରୁ ଦୃଶ୍ୟ-ଶ୍ରାବ୍ୟ ମାଧୢମ ପ୍ରଭାବଶାଳୀ ଥିଲେ। ସିପାହି ବିଦ୍ରୋହ ସମୟରେ ଲୋକେ ଚପାତି ବା ରୋଟିକୁ ସମ୍ବାଦ ପଠାଇବାର ମାଧୢମ ଭାବରେ ବ୍ୟବହାର କରୁଥିଲେ। ଏହାଦ୍ବାରା ଥାନା ଓ କାଣ୍ଟନମେଣ୍ଟରେ ଥିବା ସିପାହି ଓ ସୈନିକମାନଙ୍କୁ ବିଦ୍ରୋହରେ ଯୋଗ ଦେବାପାଇଁ ପ୍ରେରିତ କରାଯାଉଥିଲା। ଶାସକ ବ୍ରିଟିସ୍ ସରକାର ଏହାର ଅର୍ଥ ବୁଝି ପାରୁନଥିଲେ। ଏହି କୌଶଳର ନାଁ ଥିଲା ‘ଚପାତି ମୁଭ୍ମେଣ୍ଟ’।
ସେମିତି ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଦ୍ରୁତ ଗତିରେ ବାର୍ତ୍ତା ପ୍ରେରଣ ପାଇଁ ଘୋଡ଼ାମାନଙ୍କୁ ବ୍ୟବହାର କରାଯାଉଥିଲା। ଚଢ଼େଇ, ପାରାମାନଙ୍କୁ ତାଲିମ ଦିଆଯାଉଥିଲା। ମାର୍କୋ ପୋଲୋ, ହୁଏନ୍ସାଁଙ୍କ ଭଳି ପରିବ୍ରାଜକମାନେ ଥିଲେ ଜ୍ଞାନ, ବିଜ୍ଞାନ, ସୂଚନା ଓ ସମ୍ବାଦର ବାହକ। ହର୍ଷବର୍ଦ୍ଧନଙ୍କ ରାଜତ୍ବ କାଳରେ ହୁଏନ୍ସାଁ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଓ ଅନ୍ୟ ଜ୍ଞାନସ୍ଥଳୀମାନଙ୍କରେ ବାର ବର୍ଷ କାଟିଥିଲେ। ଅମୂଲ୍ୟ ପୋଥିମାନଙ୍କରେ ଥିବା ଜ୍ଞାନଭଣ୍ତାରକୁ ଅନୁବାଦ କରି, ଗଧ ପିଠିରେ ଲଦି ନିଜ ଦେଶ ଚାଇନାକୁ ନେଇଯାଇଥିଲେ। ଏହାର ବହୁବର୍ଷ ପରେ ଏକାଦଶ ଶତାବ୍ଦୀରେ ସେଇ ଚାଇନାରେ ଛାପାଖାନା ଉଦ୍ଭାବନ ହେଲା ଏବ˚ ଚାରି ଶହ ବର୍ଷ ପରେ ୟୁରୋପରେ ଜୋହାନେସ୍ ଗୁଟେନ୍ବର୍ଗ ଏହାର ଆଧୁନିକୀକରଣ କଲେ। ଜ୍ଞାନ, ବିଜ୍ଞାନ, ସମ୍ବାଦ, ସୂଚନା ଓ ପ୍ରସାରଣ ଆହୁରି ସହଜ ହେଲା। ଏସବୁ ବର୍ଗ ଏହାକୁ ସ୍ବାଗତ କଲେ। ଏହାସତ୍ତ୍ବେ ସେତେବେଳର ପୋପ୍ ଓ ଭାଟିକାନ୍ ସିଟି ଏହାକୁ ପ୍ରବଳ ବିରୋଧ କରିଥିଲେ। କିନ୍ତୁ ବିଡ଼ମ୍ବନାର କଥା ଯେ ପ୍ରିଣ୍ଟିଙ୍ଗ୍ ପ୍ରେସ ଯୋଗୁ ୟୁରୋପର ଘରେ ଘରେ ପବିତ୍ର ବାଇବେଲ ଗ୍ରନ୍ଥ ପହଞ୍ଚିପାରିଲା। ଭଗବତ୍ ଗୀତା ଛପା ହେଲା ଲକ୍ଷ ଲକ୍ଷ ସ˚ଖ୍ୟାରେ। ଭାରତରେ ଜ୍ଞାନକୁ ଲୁଚାଇ ରଖିବା ପ୍ରବୃତ୍ତିର ଅନ୍ତ ହେଲା ୨୦୦୫ ମସିହା ଜୁନ୍ ୧୫ ତାରିଖରେ। ସେଦିନ ପାର୍ଲାମେଣ୍ଟ ସୂଚନା ଅଧିକାର ଆଇନ ପାସ୍ କଲେ ଓ ସେହି ବର୍ଷ ଅକ୍ଟୋବର ୧୩ ତାରିଖରୁ ଏହି ଆଇନ ସାରା ଦେଶରେ ଲାଗୁ ହେଲା। ଫଳସ୍ବରୂପ ବ୍ରିଟିସ୍ ଅମଳରୁ ଚାଲୁଥିବା ଅଫିସିଆଲ୍ ସିକ୍ରେଟ୍ ଆକ୍ଟରୁ ଅନେକ ଧାରା ଆପେ ଆପେ ନିରର୍ଥକ ହେଇଗଲା। ସରକାରଙ୍କ ପାଖରେ ଥିବା ଅନେକ ଖବର, ରେକର୍ଡ, ଫାଇଲରେ ନିଆଯାଇଥିବା ନିଷ୍ପତ୍ତି, ନୋଟିଙ୍ଗ, ସୁପାରିସ, ପୃଷ୍ଠଭୂମି ସମ୍ପର୍କରେ ପ୍ରଶ୍ନ କରିବା, ପଚାରିବା ଓ ଜାଣିବା ପାଇଁ ପ୍ରତ୍ୟେକ ନାଗରିକ ହକ୍ଦାର ହେଲେ। ଏଥିରେ ବାଧା ଓ ବିଳମ୍ବ ସୃଷ୍ଟି କରୁଥିବା କର୍ମଚାରୀଙ୍କ ପାଇଁ ଦଣ୍ତ ବ୍ୟବସ୍ଥା କରାଗଲା। ଗଣମାଧୢମ ବି ଏହାଦ୍ବାରା ଉପକୃତ ହେଲେ। ନାଗରିକ ସ˚ଗଠନମାନେ ଵାଚ୍ ଡଗ୍ ଭାବରେ ସାଧାରଣ ଜନତାଙ୍କୁ ଏ ବିଷୟରେ ସଚେତନ କଲେ। ଖବର ଫାଇଲ ବନ୍ଦୀଖାନାରୁ ମୁକ୍ତ ହୋଇ ଦାଣ୍ତକୁ ଆସିଲା। ‘ସୂଚନା ଦରିଦ୍ର’ମାନେ ‘ସୂଚନାଧନୀ’ ହେବା ପାଇଁ ବାଟ ଫିଟିଲା।
ବି˚ଶ ଶତାବ୍ଦୀକୁ ଜ୍ଞାନ ଯୁଗ ଓ ସୂଚନା ଶତାବ୍ଦୀ କୁହାଯାଉଥିଲା। ଭାରତରେ ପ୍ରଥମ ସମ୍ବାଦ ପତ୍ର ଛପା ହେଇଥିଲା ୧୭୮୦ ମସିହାରେ। ନାଁ ଥିଲା ବେଙ୍ଗଲ ଗେଜେଟ୍। ପାଞ୍ଚବର୍ଷ ପରେ ମାଡ୍ରାସ କୁରିଅର୍ ଓ ତା’ର ଚାରିିବର୍ଷ ପରେ ୧୭୮୯ରେ ବମ୍ବେ ହେରାଲ୍ଡ। ଏବେ ସେଇ ସ˚ଖ୍ୟା ବଢ଼ି ହେଲାଣି ୩୦,୦୦୦ରୁ ଅଧିକ। କେବଳ ହିନ୍ଦୀ ପତ୍ରପତ୍ରିକାର ସ˚ଖ୍ୟା ୨୧ ହଜାର, ଇ˚ରାଜୀ ୭୬୦୦। ସେମିତି ‘ସମ୍ବାଦ’, ‘ସମାଜ’, ‘ଧରିତ୍ରୀ’, ‘ପ୍ରମେୟ’ ଠାରୁ ଆରମ୍ଭ କରି ‘ଜହ୍ନମାମୁଁ’ ପର୍ଯ୍ୟନ୍ତ ସାପ୍ତାହିକ, ମାସିକ, ବାର୍ଷିକ ପତ୍ରପତ୍ରିକା ମାଗାଜିନ୍ ସ˚ଖ୍ୟା ଓଡ଼ିଶାରେ ସହସ୍ରାଧିକ। ସେହିପରି ୭୦ ବର୍ଷ ମଧୢରେ ଟିଭି, ରେଡିଓ ଚ୍ୟାନେଲ ସଂଖ୍ୟା ୧ରୁ ବଢ଼ି ହେଲାଣି ନ’ଶହ। ଭାରତର ୩୦ କୋଟି ପରିବାର ମଧୢରୁ ପ୍ରାୟ ୨୦ କୋଟି ପରିବାରରେ ଟିଭି ସେଟ୍ ଅଛି। ଏବ˚ ଅନୁମାନ କରାଯାଉଛି ଯେ ୨୦୨୧ ସୁଦ୍ଧା ଭାରତରେ ସ୍ମାର୍ଟ ଫୋନ୍ ସ˚ଖ୍ୟା ୭୬ କୋଟି ଅତିକ୍ରମ କରିବ ଏବଂ ପୃଥିବୀରେ ଏହି ସ˚ଖ୍ୟା ୩୮୦ କୋଟି ଅତିକ୍ରମ କରିବ। ପ୍ରତି ଚାରି ହଜାର ଲୋକସ˚ଖ୍ୟାରେ ଜଣକ ପାଖରେ ଅଛି ଲ୍ୟାପ୍ଟପ୍। ଏତଦ୍ ବ୍ୟତୀତ ଟୁଇଟର୍, ଫେସ୍ବୁକ୍, ୟୁଟ୍ୟୁବ୍, ଲିଙ୍କଡ୍-ଇନ୍, ଗୁଗଲ୍, ସ୍ନାପ୍ଚାର୍ଟ ପ୍ରଭୃତି ପ୍ଲାଟ୍ଫର୍ମ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି। କରୋନା ଆସିବା ପରେ ଅନେକ ଶିକ୍ଷାନୁଷ୍ଠାନରେ ଏବେ ଅନ୍ଲାଇନ୍ ପାଠପଢ଼ା ହେଉଛି। ସୋସିଆଲ୍ ମିଡିଆ ବା ସାମାଜିକ ଗଣମାଧୢମ ଏବେ ପ୍ରିଣ୍ଟ ମିଡିଆର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଠିଆ ହେଲାଣି। ବି˚ଶ ଶତାବ୍ଦୀର ଶେଷ ଭାଗରେ ଓ ଜଗତ୍କରଣ ପରେ ଏହାର ସୂଚନା ମିଳିଥିଲା। ବି˚ଶ ଶତାବ୍ଦୀ ପ୍ରିଣ୍ଟ ମିଡିଆର ଭୂମିକା ସ୍ମରଣୀୟ ଥିଲା। ଅସ୍ପୃଶ୍ୟତା, ସତୀପ୍ରଥା, ବାଲ୍ୟବିବାହ, ପରଦା ପ୍ରଥା, ମହିଳା ସଶକ୍ତୀକରଣ, ସୂଚନା ଅଧିକାର ଉପରେ ପ୍ରିଣ୍ଟ ମିଡିଆ ସାରା ଦେଶରେ ସଚେତନତା ସୃଷ୍ଟି କରିଥିଲେ। ସ୍ବାଧୀନତା ଆନ୍ଦୋଳନରେ ଏମାନେ ଗାନ୍ଧୀଙ୍କ ସାଥିରେ ଥିଲେ। ଗାନ୍ଧୀ ନିଜେ ଦକ୍ଷିଣ ଆଫ୍ରିକାରେ ଇଣ୍ତିଆନ୍ ଓପିନିଅନ୍ ଓ ଭାରତ ଫେରିଲା ପରେ ୟଙ୍ଗ୍ ଇଣ୍ତିଆ ଓ ନବଜୀବନ ପତ୍ରିକା ମାଧୢମରେ ପବ୍ଲିକ୍ ଓପିନିଅନ୍ ଓ ସରକାରଙ୍କୁ ପ୍ରଭାବିତ କରୁଥିଲେ। ପ୍ରିଣ୍ଟ ମିଡିଆ ସରକାର ବଦଳାଇ ଦେବାର ଉଦାହରଣ ରହିଚିି।
ଶ୍ରୋତା ଓ ଦର୍ଶକ ଏବେ ଖବରକାଗଜ ଅପେକ୍ଷା ସୋସିଆଲ୍ ମିଡିଆ ପ୍ରତି ଅଧିକ ଆକର୍ଷିତ ହେଲେଣି। ଗୋଟିଏ କାରଣ ହେଲା ଏହାର ଦ୍ବିପଥ ଚ୍ୟାନେଲ୍ ଓ ସଦ୍ୟ ଖବର ପ୍ରସାରଣ କ୍ଷମତା। ଫଳରେ ଖବରକାଗଜ ବାସି ନିଉଜ୍ ଭଳି ଲାଗୁଚି। ସୋସିଆଲ୍ ମିଡିଆରେ ପ୍ରଶ୍ନ ଉତ୍ତର ଓ ପରସ୍ପର ବାର୍ତ୍ତାଳାପ କରି ହେଉଚି। ମତାମତ ରଖି ହେଉଚି। ଅଧୢୟନ, ଗବେଷଣା ପାଇଁ ଏହା ଲାଇବ୍ରେରି ଭଳି କାମ କରୁଚି। ଏକ ସେକେଣ୍ତରେ ପୃଥିବୀର ସବୁ କୋଣ, ଅନୁକୋଣରେ ପହଞ୍ଚି ପାରୁଛି। ଆଜି ଏହି ଉଭୟଙ୍କ ସାମନାରେ ଚାଲେଞ୍ଜ ବା ଆହ୍ବାନ ରହିଚି। ଭାରତୀୟ ସମ୍ବିଧାନର ଧାରା-୧୯ ଦେଇଚି ମତ ପ୍ରକାଶର ପୂର୍ଣ୍ଣ ଅଧିକାର। କିନ୍ତୁ ପ୍ରେସ୍ ଫ୍ରିଡମ୍ ଇଣ୍ତେକ୍ସ ଅନୁସାରେ ପୃଥିବୀର ୧୮୦ ଦେଶଙ୍କ ମଧୢରେ ଭାରତର ସ୍ଥାନ ୧୩୮ରେ। ଏହାର କାରଣ ହେଉଛି ଅନେକ ଗଣମାଧ୍ୟମ ସଂସ୍ଥାର ଏଡିଟୋରିଆଲ୍ ଫ୍ରିଡମ୍ ବା ସ˚ପାଦକୀୟ ସ୍ବାଧୀନତା ନ ଥାଏ। ଆମେରିକାରେ ୧୫ଟି କର୍ପୋରେଟ୍ ହାଉସ୍ଙ୍କ ନିୟନ୍ତ୍ରଣରେ ବଡ଼ ବଡ଼ ଖବରକାଗଜ ଓ ସୋସିଆଲ ମିଡିଆ ଅଛନ୍ତି। କିନ୍ତୁ ସବୁ ଗଣମାଧୢମ ବି ସୁନା ପିଲା ନୁହଁନ୍ତି। ଅନେକ ଜନମତକୁ ବିଭ୍ରାନ୍ତ କରିଥାନ୍ତି। କେତେକ କ୍ଷେତ୍ରରେ କୋର୍ଟ ଟ୍ରାଏଲ୍ ଆଗରୁ ମିଡିଆ ଟ୍ରାଏଲ୍ ଆରମ୍ଭ ହୋଇଯାଏ। ନିଉଜ୍ ବଦଳରେ ଭିଉଜ୍କୁ ପ୍ରାଧାନ୍ୟ ଦିଆଯାଏ। ଅର୍ଥ ପାଇଁ ସାମ୍ବାଦିକମାନେ ପ୍ରଫେସନାଲ ଏଥିକ୍ସ ଓ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇଥାନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳ ଓ ନେତାମାନେ ବି ଗଣମାଧ୍ୟମ ସାହାଯ୍ୟରେ ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି। ନିର୍ବାଚନ କମିସନ ଏହିପରି ଖବରଗୁଡ଼ିକ ନା ରଖିଛନ୍ତି ପେଡ୍ ନିଉଜ୍- ଏଥିପାଇଁ ଦଣ୍ତ ବ୍ୟବସ୍ଥା ଅଛି। ତେବେ ଗଣମାଧୢମ ଏସବୁରୁ ଊର୍ଦ୍ଧ୍ବରେ ରହି ସମାଜର ଆଖି ଓ ଦର୍ପଣ ସାଜି ନିରପେକ୍ଷ ଭାବରେ କାମ କଲେ ହିଁ ଗଣତନ୍ତ୍ର ମଜଭୁତ ହୋଇପାରିବ।
ଓଡ଼ିଶା ନାଗରିକ ସମାଜ, ୨୯-ବି, ପ୍ରଜ୍ଞାବିହାର
bhagbanprakash@gmail.com
from ବିଶେଷ – Sambad https://ift.tt/2HY63VH
0 Comments