
ଭୁବନେଶ୍ୱର : ଆଜି ଦିନ ଗୋଟାଏ ୧୨ରେ ରାଜଭବନ ନିକଟସ୍ଥ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ଟାଙ୍କିରେ ଗ୍ୟାସ୍ ଟେଷ୍ଟିଂ ବେଳେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଖ ପାଖର ପ୍ରାୟ ୧୦ କିମି ଅଞ୍ଚଳ ପର୍ଯ୍ୟନ୍ତ ଏହି ବିସ୍ଫୋରଣର ଶବ୍ଦ ଅନୁଭୂତ ହୋଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଏହାକୁ ଭୂମିକମ୍ପ ବୋଲି ଭାବି ବାହାରକୁ ଆସି ଦେଖିବା ବେଳକୁ ଆକାଶରେ ପ୍ରାୟ ୨୦୦ ଫୁଟ୍ ଉଚ୍ଚକୁ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା। ରାଜଭବନ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍ ବାହାରେ ବିରାଟ ବଡ଼ ଗର୍ତ୍ତ ହୋଇଥିଲା। ଏହା ଆଖପାଖରେ ପୁଳାପୁଳା ମାଂସ, ଚୁଟି, ଜୋତା, ଗାଡ଼ି ପଡ଼ିଥିଲା। ଲୋକେ ବିକଳରେ ଇଆଡେ଼ ସିଆଡ଼େ ଧାଉଁଥିଲେ। ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକଙ୍କ କାନ କିଛି ସମୟ ପାଇଁ ତାବ୍ଦା ହୋଇଯାଇଥିଲା ଏବଂ ପାଖ ଗଛ ଓ ବିଦ୍ୟୁତ୍ ତାରରେ ବସିଥିବା ପାରା ବି ଜୀବନ ହରାଇଥିଲେ। ୨ କିମି ପରିଧି ଭିତରେ ଥିବା ଲୋକଙ୍କ ଘରର କାଚ ଝରକା ଓ ଆସବାବ ପତ୍ର ଗୁଡ଼ିକ ଗୁଣ୍ଡ ହୋଇଯାଇଥିଲା। ପାଖରେ ଥିବା ଏଲ୍ଆଇସି ଅଫିସ ଭିତରର ସିଲିଂ ଖସି କର୍ମଚାରୀଙ୍କ ମୁଣ୍ଡରେ ପଡ଼ିଥିଲା। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀମାନେ ଟେବୁଲ ତଳେ କିଛି ସମୟ ପାଇଁ ଲୁଚିଥିଲେ। ଏନେଇ ଏଲ୍ଆଇସି କର୍ମଚାରୀ ଚନ୍ଦ୍ରମଣି ବେହେରା କୁହନ୍ତି, ବିସ୍ଫୋରଣର ପ୍ରାୟ ୩ ମିନିଟ୍ ପର୍ଯ୍ୟନ୍ତ କର୍ମଚାରୀମାନେ ହତବାକ୍ ହୋଇଗଲେ। ନା ସେମାନଙ୍କ କାନକୁ କିଛି ଶୁଭୁଥିଲା, ନା ସେମାନେ କିଛି ଜାଣିପାରୁଥିଲେ। ଚେତା ଫେରିବା ପରେ ସେମାନଙ୍କୁ ପୁନର୍ଜନ୍ମ ମିଳିଲା ଭଳି ଲାଗୁଥିବା ସେ କହିଥିଲେ।
from ବିଶେଷ – Sambad https://ift.tt/30JA3Le
0 Comments