
ନୂଆଦିଲ୍ଲୀ: ରକ୍ତ ବିକାର ରୋଗ ‘ଟାଲାସିମିଆ’ ଆକ୍ରାନ୍ତ ପୁଅର ଜୀବନ ରକ୍ଷା କରିବାକୁ ଏକ ଦମ୍ପତି ‘ଆଇଭିଏଫ୍’ ଜରିଆରେ ଝିଅଟିଏ ଜନ୍ମ କରାଇ ସୁଫଳ ପାଇଛନ୍ତି। ବର୍ଷକର ଏହି ଝିଅଟି ଅସ୍ଥି ମଜ୍ଜା ବା ‘ବୋନ୍ ମ୍ୟାରୋ’ ଦାନ କରି ଭାଇକୁ ସୁସ୍ଥ କରିଛି।
ଏଥିସହ ଭାରତର ପ୍ରଥମ ‘ସେଭିଅର୍ ସିବ୍ଲିଙ୍ଗ୍’ ବା ‘ତ୍ରାଣକର୍ତ୍ତା ସହୋଦର’ ଅଥବା ‘ଜୀବନ ରକ୍ଷାକାରୀ ଭାଇ ବା ଭଉଣୀ’ ଜାତ କରାଇବା ପରୀକ୍ଷା ସଫଳ ହୋଇଛି ବୋଲି ଡାକ୍ତରମାନେ କହିଛନ୍ତି।
ଘଟଣାଟି ଏମିତି: ସହଦେବ ଓ ଆଲ୍ପା ସୋଲାଙ୍କିଙ୍କ ଦ୍ବିତୀୟ ସନ୍ତାନ ଅଭିଜିତ ଜନ୍ମରୁ ମାରାତ୍ମକ ‘ଟାଲାସିମିଆ’ରେ ଆକ୍ରାନ୍ତ ଥିଲା। ‘ଟାଲାସିମିଆ’ ହେଉଛି ଏକ ରକ୍ତ ବିକାର ରୋଗ। ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଯଥେଷ୍ଟ ପରିମାଣର ‘ହିମୋଗ୍ଲୋବିନ୍’ ପ୍ରସ୍ତୁତି କରି ପାରନ୍ତି ନାହିଁ। ତେଣୁ, ସେମାନଙ୍କୁ ବଞ୍ଚାଇ ରଖିବାକୁ ବାରମ୍ବାର ରକ୍ତ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ସବୁ ସତ୍ତ୍ବେ ସେମାନେ ବେଶୀ ଦିନ ବଞ୍ଚନ୍ତି ନାହିଁ।
ଅଭିଜିତକୁ ବଞ୍ଚାଇବାକୁ ହେଲେ ‘ଅସ୍ଥି ମଜ୍ଜା’ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଡାକ୍ତରମାନେ ସୋଲାଙ୍କି ଦମ୍ପତିଙ୍କୁ କହିଲେ। କିନ୍ତୁ, ସେମାନେ ଅଭିଜିତର ‘ହ୍ୟୁମାନ୍ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍’ (ଏଚ୍ଏଲ୍ଏ) ସହ ମେଳ ଖାଉଥିବା ‘ଏଚ୍ଏଲ୍ଏ’ ଡୋନର୍ ବା ଦାତା ପାଇଲେ ନାହିଁ। ଅଭିଜିତର ବଡ଼ଭଉଣୀ ସମେତ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ‘ଏଚ୍ଏଲ୍ଏ’ ମଧ୍ୟ ମେଳ ଖାଇଲା ନାହିଁ। ତେଣୁ, ଡାକ୍ତରମାନେ ‘ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍’ (ଆଇଭିଏଫ୍) ମାଧ୍ୟମରେ ଅଭିଜିତର ‘ଏଚ୍ଏଲ୍ଏ’ ସହ ମେଳ ଖାଉଥିବା ‘ଏଚ୍ଏଲ୍ଏ’ ଥିବା ପିଲାଟିଏ ଜନ୍ମ କରାଇବାକୁ ଚାହିଁଲେ। ଅଭିଜିତର ବାପା ଆସି ଏକଥା ଆମକୁ କହିଲେ। ଆମେ ଏହାକୁ ଚାଲେଞ୍ଜ୍ ଭାବେ ଗ୍ରହଣ କରି ଜଣେ ସୁସ୍ଥ ‘ସେଭିଅର୍ ସିବ୍ଲିଙ୍ଗ୍’ ସୃଷ୍ଟି କଲୁ ବୋଲି ଅହମଦାବାଦର ‘ନୋଭା ଆଇଭିଏଫ୍ ଫର୍ଟିଲିଟି’ର ନିର୍ଦେଶକ ଡାକ୍ତର ମନୀଷ ବ୍ୟାଙ୍କର୍ ଗଣମାଧ୍ୟମକୁ କହିଛନ୍ତି।
୨୦୧୯ରେ ଅଭିଜିତଙ୍କ ମାଆ ସୁସ୍ଥ ସବଳ କନ୍ୟା ‘କାବ୍ୟା’କୁ ଜନ୍ମ ଦେଲେ। କାବ୍ୟାର ‘ଏଚ୍ଏଲ୍ଏ’ ଅଭିଜିତର ‘ଏଚ୍ଏଲ୍ଏ’ ସହ ମେଳ ଖାଇଲା। ଆବଶ୍ୟକ ମୁତାବକ ଓଜନ ହେବା ପରେ ମାର୍ଚ ମାସରେ କାବ୍ୟା ଠାରୁ ଅସ୍ଥି ମଜ୍ଜା ନିଆଯାଇ ଅଭିଜିତ ଦେହରେ ପ୍ରତିରୋପଣ କରାଗଲା। ଏବେ ଅଭିଜିତ ବିପଦ ମୁକ୍ତ ଏବଂ ତା’ର ରକ୍ତ ପରିବର୍ତ୍ତନ କରାଇବା ଅନାବଶ୍ୟକ ବୋଲି ଡାକ୍ତରମାନେ ଗଣମାଧ୍ୟମକୁ କହିଛନ୍ତି।
The post ଭାଇର ଜୀବନ ରକ୍ଷା ଲାଗି ‘ଆଇଭିଏଫ୍’ ଜରିଆରେ ଜନ୍ମ ହେଲା ଭଉଣୀ first appeared on Sambad.
from ବିଶେଷ – Sambad https://ift.tt/3iV7Qra
0 Comments