ଘର କାନ୍ଥରେ କଳାପଟା କରି ପିଲାଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖି ପାଠ ପଢ଼ାଉଛନ୍ତି ଝାଡ଼ଖଣ୍ଡ ପ୍ରଧାନଶିକ୍ଷକ

ଧାନବାଦ: କରୋନାଭାଇରସ୍ ମହାମାରୀ ଯୋଗୁଁ ସ୍କୁଲ୍ ଶିକ୍ଷା ଅଚଳ ହୋଇଯାଇଥିବା ବେଳେ ଝାଡ଼ଖଣ୍ଡର ଦୁମକା ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଆଦିବାସୀ ଗ୍ରାମର ସରକାରୀ ଉନ୍ନୀତ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିନବ ଉପାୟରେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଉଛନ୍ତି। ଏଥିନିମନ୍ତେ ପ୍ରଧାନଶିକ୍ଷକ ସପନ ପତ୍ରଲେଖ ଗାଁ ରାସ୍ତାକଡ଼ରେ ଥିବା ଘରଗୁଡ଼ିକର ମାଟି କାନ୍ଥରେ ଛାଡ଼ି ଛାଡ଼ି କରି ଗୁଡ଼ାଏ କଳାପଟା ଅଙ୍କନ କରିଛନ୍ତି। ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ସେହି କଳାପଟା ପାଖରେ ଜଣେ ଲେଖାଏଁ ପିଲାଙ୍କୁ ବସାଇ ସେ ପାଠ ପଢ଼ାଉଛନ୍ତି।

ଜାରମୁଣ୍ଡି ବ୍ଲକ୍‌ର ଦୁମାରଥର ଗାଁରେ ଥିବା ଏହି ଉନ୍ନୀତ ମଧ୍ୟ ବିଦ୍ୟାଳୟରେ ପ୍ରାୟ ୨୯୦ଜଣ ଛାତ୍ରଛାତ୍ରୀ ଅଛନ୍ତି। ସାମାଜିକ ଦୂରତ୍ବ ପ୍ରତି ଦୃଷ୍ଟି ଦେଇ ପ୍ରତି ପିଲାଙ୍କୁ ପୃଥକ୍ କଳାପଟା ଆବଣ୍ଟନ କରାଯାଇଛି। ପ୍ରଧାନଶିକ୍ଷକଙ୍କ ସମେତ ଏହି ସ୍କୁଲ୍‌ର ସମୁଦାୟ ଚାରି ଜଣ ଶିକ୍ଷକ ପାଳି କରି କ୍ଲାସ୍ ନେଉଛନ୍ତି।

ଏଭଳି ବିଚିତ୍ର ରୀତିରେ ପାଠପଢ଼ା ଘଟଣା ସେ ଅଞ୍ଚଳର ଜନତା ଓ ସରକାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକ‌ର୍ଷଣ କରିଛି।

ପ୍ରଧାନଶିକ୍ଷକ ପତ୍ରଲେଖ କହନ୍ତି, କୋଭିଡ୍-୧୯ ଯୋଗୁଁ ଦୀର୍ଘ ଦିନ ସ୍କୁଲ୍ ବନ୍ଦ ରହିବା ଦେଖି ସେମାନେ ଭାବିଲେ, ଯଦି ଲକ୍‌ଡାଉନ୍ ଜାରି ରହେ ତେବେ ପିଲାଏ ପାଠ ଭୁଲିଯିବେ। ସୁଦୂର ଅଞ୍ଚଳରେ ହୋଇଥିବାରୁ ସେ ଗାଁରେ ଇଣ୍ଟର୍‌ନେଟ୍ ଓ ମୋବାଇଲ୍ ସେବାର ସୁବିଧା ମିଳୁନାହିଁ। ତେଣୁ, ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ସେମାନଙ୍କ ନିଜ ଘରେ ଦଳ କରି କ୍ଲାସ୍ କରାଇବାକୁ ଆମେ ସ୍ଥିର କଲୁ।

Image Courtesy of Hindustan Times

ଆଦିବାସୀ ପିଲାଏ କାନ୍ଥରେ ରଙ୍ଗ ବୋଳିବା ସହଜରେ ଶିଖି ପାରୁଥିବାରୁ ଆମେ ସେମାନଙ୍କୁ ସେମାନଙ୍କ ଘର କାନ୍ଥକୁ କିପରି କଳାପଟା ଭାବେ ବ୍ୟବହାର କରି ହେବ ତାହା ଶିଖାଇବାକୁ ନିଷ୍ପତ୍ତି ନେଲୁ। ଏଭଳି ଆମେ ଛାତ୍ରଛାତ୍ରୀଙ୍କୁ ପଢ଼ିବା ଲାଗି ଆକୃଷ୍ଟ କରାଇବାରେ ସଫଳ ହେଲୁ।

ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ସ୍କୁଲ୍ ଶିକ୍ଷକମାନେ ମିଶି ଗାଁରେ ଚାରିଟି କେନ୍ଦ୍ରସ୍ଥଳ ଚୟନ କଲେ ଯେଉଁଠି ପ୍ରତି ବ୍ୟାଚ୍‌ରେ ପାଳି କରି ୫୦ଜଣ ପିଲା କ୍ଲାସ୍‌ କରିପାରିବେ। ଚାରି ଶିକ୍ଷକ ମଧ୍ୟ ପ୍ରତି କେନ୍ଦ୍ରସ୍ଥଳରେ ଗୋଟିଏ ଲେଖାଁ କ୍ଲାସ୍ ନେଉଛନ୍ତି।

ପ୍ରତିଦିନ ପିଲାଏ ସ୍କୁଲ୍ ୟୁନିଫର୍ମ ପିନ୍ଧି ରୁଟିନ୍ ଅନୁସାରେ, ସେମାନଙ୍କ ପିଣ୍ଡାରେ ବସନ୍ତି। ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ପ୍ରତି ପିଲାଙ୍କୁ ସ୍ବତନ୍ତ୍ର ଭାବେ ଚକ୍ ଓ ଡଷ୍ଟର୍‌ ମଧ୍ୟ ଦିଆଯାଇଛି।



from ବିଶେଷ – Sambad https://ift.tt/303ynfp

Post a Comment

0 Comments