
କାଲିଫର୍ଣ୍ଣିଆ: ରବିବାର ଦିନ ଦକ୍ଷିଣ କାଲିଫର୍ଣ୍ଣିଆ ମରୁଭୂମିର ‘ମୃତ୍ୟୁ ଉପତ୍ୟକା’ ଅନ୍ତର୍ଗତ ‘ଫର୍ଣ୍ଣାନ୍ସ୍ କ୍ରିକ୍’ର ତାପମାତ୍ରା ୫୪. ୪ ଡିଗ୍ରି ସେଲିସିୟସ୍ ପହଞ୍ଚିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପାଣିପାଗ ସେବା କହିଛି। ୧୦୦ ବର୍ଷ ମଧ୍ୟରେ ବିଶ୍ବର ଯେକୌଣସି ତାପମାତ୍ରା ଠାରୁ ଏହା ସର୍ବୋଚ୍ଚ ବୋଲି ଆମେରିକୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଲା ଭେଗାସ୍ଥିତ ଜାତୀୟ ପାଣିପାଗ ସେବା (ଏନ୍ଡବ୍ଲୁଏସ୍) ରବିବାର ଅପରାହ୍ଣରେ ‘ଅଟୋମେଟେଡ୍ ଅବ୍ଜର୍ଭେସନ୍ ସିଷ୍ଟମ୍’ ରିଡିଙ୍ଗ୍ କରି ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ‘ଏନ୍ଡବ୍ଲୁଏସ୍’ କହିଛି ଯେ, ଯଦି ଯାଞ୍ଚ କରାଯାଏ, ସରକାରୀ ଭାବେ ଜୁଲାଇ ୧୯୧୩ରେ ଯାଞ୍ଚ କରାଯାଇଥିବା ତାପମାତ୍ରା ଠାରୁ ଆଜିର ତାପମାତ୍ରା ସର୍ବୋଚ୍ଚ ହେବ।
୧୯୧୩ ମସିହା ଜୁଲାଇ ୧୦ ତାରିଖ ଦିନ ମୃତ୍ୟୁ ଉପତ୍ୟକା ଅନ୍ତର୍ଗତ ଗ୍ରିନ୍ଲାଣ୍ଡ୍ ରାଞ୍ଚ୍ ଠାରେ ତାପମାତ୍ରା ୫୬. ୭ ଡିଗ୍ରି ସେଲିସିୟସ୍ରେ ପହଞ୍ଚିଥିଲା। ଏହାକୁ ଏପର୍ଯ୍ୟନ୍ତ ପୃଥିବୀ ପୃଷ୍ଠର ସର୍ବୋଚ୍ଚ ରେକର୍ଡ ଉତ୍ତାପ ବୋଲି ‘ବିଶ୍ବ ପାଣିପାଗ ସଂସ୍ଥାନ’ ଗ୍ରହଣ କରିଛି।
କିନ୍ତୁ, ଗୁରୁତ୍ବପୂର୍ଣ୍ଣ କଥା ହୋଇଥିବାରୁ ଏହାକୁ ରେକର୍ଡ କରାଯିବା ପୂର୍ବରୁ ଆନୁଷ୍ଠାନିକ ଭାବେ ସମୀକ୍ଷା କରାଯିବ ବୋଲି ଏକ ବିବୃତିକୁ ଲିଙ୍କ୍ କରି ‘ଏନ୍ଡବ୍ଲୁଏସ୍’ ଲା ଭେଗା କହିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ‘ଏନ୍ଡବ୍ଲୁଏସ୍’ର ସ୍ବୟଂକ୍ରିୟ ପାଣିପାଗ କେନ୍ଦ୍ର ନେବାଦା ସୀମା ସନ୍ନିକଟ ‘ଫର୍ଣ୍ଣାନ୍ସ୍ କ୍ରିକ୍’ର ଦର୍ଶକ କେନ୍ଦ୍ର ନିକଟରେ ରହିଛି। ସ୍ଥାନୀୟ ସମୟ ୩:୪୧ ସେଠାକାର ତାପମାତ୍ରା ସର୍ବୋଚ୍ଚ ହୋଇଥିଲା।
from ବିଶେଷ – Sambad https://ift.tt/324nSZd
0 Comments