ପର୍ଯ୍ୟଟନ ସହରକୁ ସ୍ୱାଭାବିକ ହେଉନି ଟ୍ରେନ୍‌ ଚଳାଚଳ

ପୁରୀ : କରୋନା ପ୍ରକୋପ କମିଥିଲେ ମଧ୍ୟ ପର୍ଯ୍ୟଟନ ସହର ପୁରୀକୁ ଏପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇପାରି ନାହିଁ। ଯାହାର ପ୍ରଭାବ ସିଧାସଳଖ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି। ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ପୁରୀକୁ ଆସୁଥିଲେ ମଧ୍ୟ ନିୟମିତ ଟ୍ରେନ୍‌ ଚାଲୁ ନ ଥିବାରୁ ସେମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ବସ୍‌ରେ ଭିଡ଼ରେ ଛିଡ଼ା ହୋଇ ପୁରୀରେ ପହଞ୍ଚୁଛନ୍ତି। କେବଳ ସେତିକି ନୁହେଁ, ପାସେଞ୍ଜର ଟ୍ରେନ୍‌ ଚାଲୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଏମିତିକି ଦେଢ଼ବର୍ଷ ହେଲା ପୁରୀ-କଟକ ପାସେଞ୍ଜର ସଟଲ୍‌ ଚଳାଚଳ କରୁ ନଥିବାରୁ ଯାତ୍ରୀମାନେ ଦହଗଞ୍ଜ ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁରୀରୁ ସ୍ବାଭାବିକ ଭାବେ ୨୬ଟି ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ଏବେ ବି ୫ଟି ଟ୍ରେନ୍‌ ବନ୍ଦ ରହିଛି। ‌କେତେକ ନିୟମିତ ଟ୍ରେନ୍‌କୁ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଘୋଷଣା କରାଯାଇ ୩୦% ଅଧିକ ଯାତ୍ରା ଦେୟ ଆଦାୟ ହେଉଛି। ଯାହାକୁ ସାଧାରଣ ଲୋକେ ଗ୍ରହଣ କରିପାରୁନାହାନ୍ତି। ତେବେ ରେଳ କର୍ତ୍ତୃପକ୍ଷଙ୍କ ଯୁକ୍ତି ଯେ ଏବେ ବି ଯାତ୍ରୀଙ୍କ ଯାତାୟାତ ସ୍ବାଭାବିକ ହୋଇନଥିବାରୁ ସ୍ବତନ୍ତ୍ର ଟ୍ରେନ୍‌ର ପ୍ରଚଳନ ଜାରି ରହିଛି। ସୂଚନା ମୁତାବକ, ପୁରୀକୁ ପ୍ରତିଦିନ ୨୬ଟି ଟ୍ରେନ୍‌ ଚଳଚଳ କରୁଥିଲା ବେଳେ ପୁରୀ-କଟକ ପାସେଞ୍ଜର, କେନ୍ଦୁଝର, ଶତାବ୍ଦୀ, ସମ୍ବଲପୁର ଇଣ୍ଟରସିଟି ଓ ଶିରିଡ଼ିକୁ ଟ୍ରେନ୍‌ ଚାଲିପାରି ନାହିଁ। ପୁରୀ-କଟକ ପାସେଞ୍ଜର ସବୁଠୁ ଅଧିକ ଚାହିଦା ରହୁଥିବା ବେଳେ ଏହା ବିଭିନ୍ନ ସ୍ଥାନୀୟ ‌ଷ୍ଟେସନରେ ଅଟକୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ କରିବା‌ ନେଇ ରେଳ ଅଧିକାରୀଙ୍କ ଯୁକ୍ତି ଯେ ଯେଉଁ ସିଟ୍‌ରେ ୫ ଜଣ ଯାତ୍ରା କରୁଥିଲେ ଏବେ ସେଥିରେ ୩ ଜଣଙ୍କ ହିସାବରେ ଟିକେଟ୍‌ ବିକ୍ରି ହେଉଛି।

ଯାତ୍ରୀ ପ୍ରସନ୍ନ ନାୟକ କହିଛନ୍ତି, ଐତିହ୍ୟ ଓ ସମୃଦ୍ଧ ପର୍ଯ୍ୟଟନ ଦୃଷ୍ଟିରୁ ଟ୍ରେନ୍‌ରେ ବହୁ ପର୍ଯ୍ୟଟକ ପୁରୀକୁ ଆସନ୍ତି ଓ ଯାଆନ୍ତି। ‌ପୁରୀ ଅର୍ଥନୀତି ପର୍ଯ୍ୟଟକଙ୍କ ଉପରେ ନିର୍ଭର ‌କରେ। ହୋଟେଲ୍‌ଠାରୁ ପରିବହନ ଓ ବ୍ୟବସାୟୀ ପର୍ଯ୍ୟଟକଙ୍କ ଯୋଗୁ ଉପକୃତ ହୁଅନ୍ତି। କୌଣସି ପାର୍ବଣ କିମ୍ବା ଉତ୍ସବ ସମୟରେ ସ୍ବତନ୍ତ୍ର ଟ୍ରେନ୍‌ର ବନ୍ଦୋବସ୍ତ କରାଯାଏ। ମାତ୍ର ଏବେ କରୋନା ଯୋଗୁ କିଛି ପାସେଞ୍ଜର ଟ୍ରେନ୍‌କୁ ବି ସ୍ବତନ୍ତ୍ର ଟ୍ରେନ୍‌ କରିଦିଆଯାଇଥିବାରୁ ଅଧିକ ଭଡ଼ା ବାଧୁଛି।

The post ପର୍ଯ୍ୟଟନ ସହରକୁ ସ୍ୱାଭାବିକ ହେଉନି ଟ୍ରେନ୍‌ ଚଳାଚଳ first appeared on Sambad.

from ବିଶେଷ | Sambad https://ift.tt/3uaJiSl

Post a Comment

0 Comments