ଆକାଶହୁଁ ବଡ଼ ପିତା…

ଆମ ଓଡ଼ିଆରେ ଗୋଟିଏ ଲୋକପ୍ରିୟ ଉକ୍ତି ସୁପ୍ରଚଳିତ ଅଛି- \”\”ଆକାଶହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା ।\’\’ ଏହା \”ମହାଭାରତ\’ର \”ବନପର୍ବ\’ରେ ଥିବା ବର୍ଣ୍ଣନାର ଏକ ପ୍ରତିଫଳନ । ସେଥିରେ ବକରୂପୀ ଯକ୍ଷ ପଚାରିଥିବା ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର କହିଛନ୍ତି, \”\”ପୃଥ୍ୱୀଠାରୁ ମାତା ଗୁରୁତ୍ୱସଂପନ୍ନା । ଆକାଶଠାରୁ ପିତା ଉଚ୍ଚତର ।\’\’
ଯିଏ ପାଳନ କରେ ସେ ପିତା । ଏଣୁ ଏ ସଂସାରର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ \”ପିତାମହ\’ କୁହାଯିବା ବେଳେ, ଭଗବାନ ବିଷ୍ଣୁଙ୍କୁ \”ଜଗତ୍‍ପିତା\’ କୁହାଯାଇଛି । ସେହି ଅନୁସାରେ ଦେବୀ ଲକ୍ଷ୍ମୀ \”ଜଗନ୍ମାତା\’ ।
\”ମହାଭାରତ\’ର ଅନ୍ୟାନ୍ୟ ପର୍ବରେ ମଧ୍ୟ \”ପିତା\’ଙ୍କର ସଂଜ୍ଞା ଅଧିକ ବ୍ୟାପକ ଭାବରେ ପ୍ରଦତ୍ତ ହୋଇଛି । \”ଅନୁଶାସନ ପର୍ବ\’ରେ ଶରଶଯ୍ୟାଶାୟୀ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଛନ୍ତି- \”\”ଯିଏ ଜନ୍ମଦାତା, ଯିଏ ଭୟତ୍ରାତା ଓ ଯିଏ ବୃତ୍ତିଦାତା, ଶାସ୍ତ୍ର ଅନୁସାରେ ସେ ତିନିହେଁ ପିତା ।\’\’ ପୁଣି \”ଶାନ୍ତିପର୍ବ\’ରେ କୁହାଯାଇଛି, \”\”ଦଶଜଣ \”ଶ୍ରୋତ୍ରିୟ\’ (ବେଦବିତ୍‍)ଙ୍କଠାରୁ ଜଣେ \”ଆଚାର୍ଯ୍ୟ\’ ମହତ୍ତର ଏବଂ ଦଶଜଣ \”ଆଚାର୍ଯ୍ୟ\’ଙ୍କଠାରୁ ଜଣେ \”ଉପାଧ୍ୟାୟ\’ ମହତ୍ତର । ସେହିପରି ଦଶଜଣ \”ଉପାଧ୍ୟାୟ\’ଙ୍କଠାରୁ ଜଣେ \”ପିତା\’ ଶ୍ରେଷ୍ଠତର । ଏଣୁ \”ପିତା\’ କାଳେକାଳେ \”ପରମଦେବତା\’ ଭାବରେ ସ୍ୱୀକୃତ ହୋଇ ଆସିଛନ୍ତି ।
ଆମର ଶାସ୍ତ୍ରପୁରାଣରେ \”ପିତା\’ଙ୍କର ଗୁରୁତ୍ୱ ବାରମ୍ବାର ସ୍ୱୀକୃତ ହୋଇଛି । ଆମର ପୂର୍ବପୁରୁଷଙ୍କୁ ଆମେ କାର୍ତ୍ତିକ ଅମାବାସ୍ୟାରେ ଶ୍ରାଦ୍ଧ ଦେଉ । କାଉଁରିଆ କାଠି ଜାଳି ସେମାନଙ୍କର ସରଗପଥକୁ ଆଲୁଅ ଦେଖାଉ । ବିଶ୍ୱାସ କରୁ ଯେ ଆମେ ଶ୍ରଦ୍ଧାରେ ଦେଉଥିବା ଶ୍ରାଦ୍ଧ ଗ୍ରହଣ କରି ସେମାନେ ସ୍ୱସ୍ଥାନକୁ ବାହୁଡ଼ି ଯାଆନ୍ତି । ସେଥିପାଇଁ ଆମେ କହୁ, \”\”ବଡ଼ବଡ଼ୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ!\’\’ ସେମାନଙ୍କର ସ୍ୱଲୋକ ବା ସେମାନେ ଯେଉଁଠାରେ ଅବସ୍ଥାନ କରନ୍ତି, ତାହା ହେଉଛି \”ପିତୃଲୋକ\’ । ସାଂଖ୍ୟ ଦର୍ଶନ ଅନୁସାରେ ଏହି ଲୋକରେ ପିତୃ, ଋଷି ଓ ପ୍ରଜାପତିମାନେ ଅବସ୍ଥାନ କରନ୍ତି ।
ଆମର ଅର୍ଥାତ୍‍ ମନୁଷ୍ୟମାନଙ୍କର \”ପୂର୍ବପୁରୁଷ\’ଙ୍କର ୧୫ଟି ଶ୍ରେଣୀ ବୋଲି ଶାସ୍ତ୍ରମତରେ କଥିତ ଅଛି । ସେଥିରୁ, ଅଗ୍ନିସ୍ୱତ୍ୱ ଆଦି ୭ଟି ଶ୍ରେଣୀ ଓ ମରୀଚି ପ୍ରଭୃତି ୮ଟି ଶ୍ରେଣୀ । ଏହି ଅନୁସାରେ- ମରୀଚି ଇତ୍ୟାଦି ମୁନିଙ୍କଠାରୁ ଦେବତା, ଦାନବ, ଯକ୍ଷ ଓ ମାନବଙ୍କର ସୃଷ୍ଟି ହୋଇଛି । ଏ ସମସ୍ତଙ୍କର ପିତା ଦକ୍ଷ ପ୍ରଜାପତି ।
ଅନ୍ୟ ମତ ଅନୁସାରେ, ଆମର \”ପିତୃପୁରୁଷ\’ଙ୍କର ତିନିଟି ଶ୍ରେଣୀ । ସେଥିରୁ ପ୍ରଥମଟି- \”ମୃତ\’ ବା ଦିବଂଗତ ପିତୃପୁରୁଷ । ସେମାନଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଦିନ ଆମେ ପିଣ୍ଡଦାନ କରିଥାଉ । ଦ୍ୱିତୀୟ ଶ୍ରେଣୀ- ଦଶ ପ୍ରଜାତି । ଏହି ଦଶ ପ୍ରଜାତି ପୃଥିବୀର ସମସ୍ତ ମନୁଷ୍ୟଙ୍କର ଜନ୍ମଦାତା ଏବଂ ତୃତୀୟ- ଆଦି ପିତୃଗଣ, ଯେଉଁମାନେ ଭଗବାନଙ୍କ ପୁତ୍ର ଭାବରେ ପ୍ରଥମେ ଜନ୍ମଗ୍ରହଣ କରିଥିଲେ।
ଆମ ଶାସ୍ତ୍ର-ପୁରାଣରେ ପିତାଙ୍କୁ ନେଇ ଅନେକ ବିଧିବିଧାନ ଆମପାଇଁ ନିର୍ଦ୍ଦେଶିତ ହୋଇଛି । ତଦନୁସାରେ, ଅମାବାସ୍ୟା ହେଉଛି- \”ପିତୃତିଥି\’ । ଏହି ଦିନ ପିତୃଗଣ ପଞ୍ଚଦଶ କଳାଯୁକ୍ତ ଚନ୍ଦ୍ରଙ୍କର ସୁଧାପାନ କରନ୍ତି । ଗୟା ହେଉଛି \”ପିତୃତୀର୍ଥ\’ । କାରଣ ଏହିଠାରେ ପିଣ୍ଡଦାନ କଲେ ପିତୃପୁରୁଷ ପ୍ରେତଯୋନିରୁ ମୁକ୍ତି ପାଆନ୍ତି । ଗୟା ପରି ଆମ ଓଡ଼ିଶାର ବୈତରଣୀ ମଧ୍ୟ ଗୋଟିଏ \”ପିତୃତୀର୍ଥ\’ । ସେଥିପାଇଁ ସେଠାରେ ମଧ୍ୟ ଆମପାଇଁ ପିତୃପୁରୁଷଙ୍କୁ ପିଣ୍ଡଦାନର ବିଧାନ ନିର୍ଦ୍ଦେଶିତ ହୋଇଛି । ତାହା \”ନାଭିଗୟା\’ ଭାବରେ ପ୍ରଖ୍ୟାତ । ସେହିପରି, ଆଶ୍ୱିନ କୃଷ୍ଣପକ୍ଷ ହେଉଛି \”ପିତୃପକ୍ଷ\’ । ଏହି ପକ୍ଷରେ ପନ୍ଦରଦିନ ବ୍ୟାପୀ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଏବଂ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧକର୍ମ ଓ ପିଣ୍ଡଦାନ କରାଯାଏ । ଏହି କ୍ରମରେ ଆସିଛି \”ପିତୃସମ୍ବତ୍ସର\’ର ବିଧାନ । ପିତାଙ୍କର ପରଲୋକ ଦିନଠାରୁ ଏକବର୍ଷ ପର୍ଯ୍ୟନ୍ତ ଏହାର ବିଧିବିଧାନ ପାଳନୀୟ । ଏହି ଗୋଟିଏ ବର୍ଷ- ପିତାଙ୍କୁ ପ୍ରତିମାସରେ ଶ୍ରାଦ୍ଧ ଦେବା ହେଉଛି ବିଧି ।
ଶାସ୍ତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଧାନ ମଧ୍ୟ ଆମପାଇଁ ନିର୍ଦ୍ଦେଶିତ ହୋଇଛି । ତାହା ହେଉଛି \”ପିତୃଯଜ୍ଞ\’ । ଏହା ଆମପାଇଁ ଶାସ୍ତ୍ର-ନିର୍ଦ୍ଦେଶିତ \”ପଞ୍ଚଯଜ୍ଞ\’ ବା \”ପଞ୍ଚମହାଯଜ୍ଞ\’ ମଧ୍ୟରୁ ଅନ୍ୟତମ । ପ୍ରତି ଗୃହସ୍ଥ ଏହି ପାଞ୍ଚଟି ଯଜ୍ଞ କରିବାର ବିଧାନ ଆମପାଇଁ ସୁପ୍ରାଚୀନ କାଳରୁ ନିର୍ଦ୍ଦେଶିତ । ଏଥି ମଧ୍ୟରେ ବୃଦ୍ଧ ପିତାମାତାଙ୍କର ରକ୍ଷଣାବେକ୍ଷଣ, ପିତୃଶ୍ରାଦ୍ଧ ଏବଂ ଉତ୍ତରପିଢ଼ିର ଯତ୍ନ ଅନ୍ତର୍ଭୁକ୍ତ । ଏଇଥିରୁ ଆସିଛି \”ସପ୍ତପୁରୁଷ\’ ଭାବଧାରା । ସେହି ଭାବଧାରା ମଧ୍ୟରେ ଅଛି- ଆମର \”ସପ୍ତପୁରୁଷ\’ ଗଣନାର ସ୍ୱତନ୍ତ୍ର ବିଧି । ଏଥିରେ ନିଜକୁ ମଝିରେ ରଖି ପୂର୍ବବର୍ତ୍ତୀ ତିନିପୁରୁଷ ଏବଂ ପରବର୍ତ୍ତୀ ତିନିପୁରୁଷଙ୍କର ଗଣନା କରାଯାଏ । ମଧ୍ୟବର୍ତ୍ତୀପୁରୁଷ ଅର୍ଥାତ୍‍ ଆମ ନିଜର ଉଚିତ କର୍ତ୍ତବ୍ୟ ଓ ଆଚରଣଦ୍ୱାରା ସପ୍ତପୁରୁଷ ଉଦ୍ଧାର ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । ଏହା ଆମକୁ ସୁପଥରେ ପରିଚାଳିତ କରିବା ନିମନ୍ତେ ଉଦ୍ଦିଷ୍ଟ ।


ଏହିସବୁ ଶାସ୍ତ୍ର-ପୁରାଣର ନିର୍ଦ୍ଦେଶ, ପିତା ଓ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା-ଭକ୍ତି ନିମନ୍ତେ ଆମକୁ ଉଦ୍‍ବୋଧିତ କରେ । \”ପଦ୍ମପୁରାଣ\’ର ଗୋଟିଏ ସୁନ୍ଦର ଶ୍ଳୋକରେ ଏହି କଥାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ କୁହାଯାଇଛି । ସେହି ଶ୍ଳୋକଟି ହେଉଛି-
\”\”ପିତା ସ୍ୱର୍ଗ ପିତା ଧର୍ମ ପିତା ହି ପରମଂତପଃ ।
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ ।ା\’\’
ଏହାର ତାତ୍ପର୍ଯ୍ୟ ହେଉଛି- ପିତାମାତା ଯଦି ପୁତ୍ରର ସେବାଦ୍ୱାରା ପ୍ରୀତ ବା ସନ୍ତୁଷ୍ଟ ହୁଅନ୍ତି, ତେବେ ସମସ୍ତ ଦେବତା ତୁଷ୍ଟ ହୁଅନ୍ତି; କାରଣ ତାହା ହିଁ ହେଉଛି ଧର୍ମ, ତାହାହିଁ ସ୍ୱର୍ଗ ଏବଂ ତାହାହିଁ ତପସ୍ୟା । ଏ ଦୃଷ୍ଟିରୁ \”କଲ୍ୟାଣ\’ ପତ୍ରିକାର \”ସେବା ଅଙ୍କ\’ରେ ଯଥାର୍ଥରେ କୁହାଯାଇଛି- ଯେଉଁ ପୁତ୍ରର ସେବା ଓ ସଦ୍‍ଗୁଣରେ ପିତାମାତା ତୁଷ୍ଟ ହୁଅନ୍ତି, ତାଙ୍କୁ ପ୍ରତ୍ୟହ ଗଙ୍ଗାସ୍ନାନର ପୁଣ୍ୟ ମିଳେ । କାରଣ- ମାତା ସର୍ବତୀର୍ଥମୟୀ ଏବଂ ପିତା ସର୍ବଦେବ ସ୍ୱରୂପ । ଏଣୁ ପିତା-ମାତାଙ୍କର ପରିକ୍ରମା ହିଁ ସମଗ୍ର ବିଶ୍ୱର ପରିକ୍ରମା । ଏହାର ସୁନ୍ଦର ଉଦାହରଣ ଆମ ପୁରାଣରେ ଗଣେଶ-କାର୍ତ୍ତିକ ବୁଦ୍ଧି ପରୀକ୍ଷା ଉପାଖ୍ୟାନରେ ଅଛି । ସେହି ଉପାଖ୍ୟାନ ଅନୁସାରେ, କାର୍ତ୍ତିକେୟ ଦ୍ରୁତଗାମୀ ମୟୂର ବାହନରେ ସମଗ୍ର ବିଶ୍ୱ ପରିକ୍ରମାରେ ବାହାରିଯିବା ବେଳେ, ଗଣେଶ ମୂଷିକ ବାହନରେ ପିତା-ମାତା ଶିବ-ପାର୍ବତୀଙ୍କର ଚାରିପାଖରେ ପରିକ୍ରମା କରି ସେହି ପରୀକ୍ଷାରେ ବିଜୟୀ ହୋଇଥିଲେ ।
କିନ୍ତୁ ଆମପାଇଁ ସବୁଠୁ ସୁନ୍ଦର ଦୃଷ୍ଟାନ୍ତ ଅଛି ଶ୍ରୀଜଗନ୍ନାଥଙ୍କର ରୀତିନୀତି ଭିତରେ ।
ପାରମ୍ପରିକ ଭାବରେ ପ୍ରତିବର୍ଷ ମାର୍ଗଶିର ମାସର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦାରେ ତିନିଦିନ ଧରି ଶ୍ରୀମନ୍ଦିରରେ \”ଦେବଦୀପାବଳି\’ ନୀତି ପାଳିତ ହୋଇଥାଏ । ଏଥିରୁ ପ୍ରଥମ ଦିନ ଶ୍ରୀଜଗନ୍ନାଥ \”ଶ୍ରୀବାମନ\’ ଭାବରେ ତାଙ୍କର ପିତା-ମାତା କଶ୍ୟପ ଓ ଅଦିତିଙ୍କୁ ଓ ଦ୍ୱିତୀୟ ଦିନ \”ଶ୍ରୀରାମ\’ ଭାବରେ ତାଙ୍କର ପିତା-ମାତା ଦଶରଥ-କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେଇଥାଆନ୍ତି । \”ଦେବଦୀପାବଳି\’ର ତୃତୀୟ ତଥା ଶେଷଦିନ ସେ \”ଶ୍ରୀକୃଷ୍ଣ\’ ଭାବରେ ତାଙ୍କର ପିତା-ମାତା ବସୁଦେବ-ଦେବକୀ ଓ ନନ୍ଦ-ଯଶୋଦାଙ୍କୁ ଏବଂ ଦାରୁବ୍ରହ୍ମ ସ୍ୱରୂପର ପିତା-ମାତା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦିଅନ୍ତି । ଏଥିରେ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଏମାନେ ସମସ୍ତେ ତାଙ୍କର ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗର ପିତା-ମାତା ।
ଏବେ ଅନେକେ ତ୍ରିବେଣୀ ସଂଗମରେ ପିତା-ମାତାଙ୍କର ଅସ୍ଥିବିସର୍ଜନ କରୁଛନ୍ତି । ଏହା ପଛରେ ପିତା-ମାତାଙ୍କର ମୋକ୍ଷପ୍ରାପ୍ତିର ଅଭିଳାଷ ଥିଲେ ହେଁ, ପ୍ରତିବର୍ଷର ଶ୍ରାଦ୍ଧପାଳନ ଓ ପିଣ୍ଡଦାନରୁ ନିଷ୍କୃତି ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି କଥିତ ହୁଏ । କିନ୍ତୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ତାଙ୍କର ପ୍ରତି ଯୁଗର ପିତା-ମାତାଙ୍କୁ ଶ୍ରାଦ୍ଧ ଦେଇ ଆମକୁ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ତାହା ହେଉଛି- ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ କରିଦେଲେ ମଧ୍ୟ, ଆମେ ବର୍ଷକେ ଅନ୍ତତଃ ଥରେ ପିତା-ମାତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା । ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ ନ କରିବା ଯାଏ ତାଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ତିଥି ଓ ଦିବସରେ ଶ୍ରାଦ୍ଧ ଦେଉଥିବା ।
ଏଣୁ ସୁପୁତ୍ର ଭାବରେ ତାଙ୍କୁ ଜୀବଦ୍ଦଶାରେ ଦେବତା ପରି ସେବା, ଭକ୍ତି କରିବା ସହିତ, ଇହଲୋକ ତ୍ୟାଗ କରିବା ପରେ ତାଙ୍କ ପ୍ରତି ଏହା ହିଁ ଆମର ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ ।

The post ଆକାଶହୁଁ ବଡ଼ ପିତା… first appeared on Sambad.

from ବିଶେଷ | Sambad https://ift.tt/3gTC2VG

Post a Comment

0 Comments