
ଗୋରଖପୁର: ବୟସ ଏକ ସଂଖ୍ୟା ମାତ୍ର। କୌଣସି ପଦକ୍ଷେପ ନେବା ପାଇଁ ବୟସ ଯେ ଆଦୌ ବାଧକ ନୁହେଁ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଉତ୍ତରପ୍ରଦେଶର ଗୋରଖପୁରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଗୋରଖପୁରରେ ଆୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଉତ୍ସବରେ ଉଭୟ ମାଆ ଓ ଝିଅଙ୍କୁ ବେଦୀରେ ବସି ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଆଙ୍କ ବୟସ ୫୩ ବର୍ଷ ହୋଇଥିବା ବେଳେ ଝିଅକୁ ୨୭ ବର୍ଷ ।
ମାଆ ବେଲୀ ଦେବୀ ଗତ ୨୫ ବର୍ଷରୁ ବିଧବା। ସେ ନିକଟରେ ତାଙ୍କ ୫୫ ବର୍ଷିଅ ଦିଅର ଜଗଦୀଶଙ୍କୁ ବିବାହ କରିଛନ୍ତି। ଜଗଦୀଶ ଜଣେ କୃଷକ ଓ ସେ ଏଯାଏ ବିବାହ କରି ନଥିଲେ। ଏହି ବିବାହ ଉତ୍ସବରେ ଏକ ମୁସ୍ଲମାନ ଯୋଡ଼ିଙ୍କୁ ମିଶାଇ ସମୁଦାୟ ୬୩ ଯୋଡ଼ି ବିବାହ କରିଛନ୍ତି। ବେଲୀ ଦେବୀଙ୍କ ସାନ ଝିଅ ଇନ୍ଦୁ ମଧ୍ୟ ଏହି ସାମୂହିକ ବିବାହ ଉତ୍ସବରେ ବିବାହ କରିଛନ୍ତି।
ବେଲୀ ଦେବୀ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ମୋର ଦୁଇ ପୁଅ ଓ ଦୁଇ ଝିଅ ବିବାହିତ। ମୋ ସାନ ଝିଅର ବି ବିବାହ ସ୍ଥିର ହୋଇଯିବାରୁ ମୁଁ ବାହା ହେବାର ନିଷ୍ପତ୍ତି ନେଲି। ମୋର ଏହି ନିଷ୍ପତ୍ତିରେ ମୋ ପିଲାମାନେ ସମସ୍ତେ ଖୁସି।’
ସେହିପରି ବିବାହ କରୁଥିବା ବେଲୀ ଦେବୀଙ୍କ ଝିଅ ଇନ୍ଦୁ କହିଛନ୍ତି, ‘ମୋ ମାଆ ଓ କାକା ଏଯାଏ ଆମ ଯତ୍ନ ନେଇ ଆସୁଥିଲେ। ଏବେ ଆମେ ଖୁବ ଖୁସି ଯେ ସେମାନେ ଏବେ ପରସ୍ପରଙ୍କ ଯତ୍ନ ନେବେ।’
The post ଏକା ସାଙ୍ଗରେ ବିବାହ କଲେ ମାଆ ଓ ଝିଅ, ବିଧବା ମାଆଙ୍କ ହାତ ଧରିଲେ ତାଙ୍କ ଅବିବାହିତ ଦିଅର first appeared on Sambad.
from ବିଶେଷ – Sambad https://ift.tt/37Xt4RO
0 Comments