ମାଓବାଦୀଙ୍କ ବିରୋଧରେ ଜାଗ୍ରତ ପ୍ରହରୀ, ସୁରକ୍ଷାକର୍ମୀଙ୍କ ଯୋଗୁଁ ଗ୍ରାମବାସୀଙ୍କ ମନୋବଳ ବଢିଲା

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଲାଲଗଡ ଭାବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ବେଶ ପରିଚିତ। ଏହି ଅଂଚଳରେ ମାଓବାଦୀଙ୍କ ରାଜ୍‌ ଚାଲେ। ୯ଟି ପଞ୍ଚାୟତ ୧୫୧ ଗ୍ରାମକୁ ନକ୍ସଲ ନିଜ କବଜାକୁ ନେଇଥିଲେ। ସେମାନଙ୍କର ନାଲି ଆଖି ଯୋଗୁଁ ଏହି ଅଂଚଳରେ ଉନ୍ନୟନ କାର୍ଯ୍ୟ ବାଧା ସୃଷ୍ଟି ହେଉଥିଲା। ତେଣୁ ଏହି ଅଂଚଳ ଅପହଞ୍ଚ ହୋଇ ରହିଥିଲା। ମାଓବାଦୀଙ୍କ ଭୟରେ ଏହି ଅଂଚଳର ଲୋକେ ସରକାର ଓ ପୁଲିସ ବିରୋଧରେ ସ୍ୱରଉତ୍ତୋଳନ କରୁଥିବା ବେଳେ ମାଓ ସଂଗଠନରେ ସାମିଲ ହେବାକୁ ବାଧ୍ୟ ହେଉଥିଲେ। ସେହିପର ମାଓବାଦୀ ଘଟାଉଥିବା ପ୍ରତ୍ୟେକ ହିଂସାରେ ମଧ୍ୟ ସାମିଲ ହେଉଥିଲେ। ଏବେ ସମୟ ବଦଳଇଛି ଜିଲ୍ଲାର ସ୍ୱାଭିମାନ ଅଂଚଳ ଏବେ ସୁରକ୍ଷାକର୍ମୀଙ୍କ କବଜାରେ।

ମାଓବାଦୀଙ୍କ ବିରୋଧରେ ଲଢେଇ ପାଇଁ ଜାଗ୍ରତ ପ୍ରହରୀ ପାଲଟିଛନ୍ତି ଗ୍ରାମର ପୁରୁଷମାନେ। ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁର ଲୋକେ ଏବେ ଗାଁ ଚାରିପଟେ ସୁରକ୍ଷା ଦେଉଛନ୍ତି। ମରିବୁ ପଛେ ଗାଁ ଭିତରକୁ ମାଓବାଦୀଙ୍କୁ ଆଉ ପୁରାଇ ଦେବୁ ନାହିଁ। ଆମେ ଆଉ ହିଂସା ଚାହୁଁନାହୁଁ, ଆମେ ଶାନ୍ତି ଚାହୁଁ ବୋଲି ଗାଁ ଲୋକେ କହିଛନ୍ତି। ପୁଲିସ ଓ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପରେ ଏବେ ଅଣ୍ଟାଭିଡି ବାହାରିଛନ୍ତି ଗାଁ ଲୋକେ। ବଡପଡା, ପେପରମେଟଲା, ଧୂଳିପୁଟ, ରାଲଗେଡା, ଯୋଡାମ୍ବ, ଅଣ୍ଡ୍ରାପାଲୀ ପଞ୍ଚାୟତରେ ଏବେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ତଥାପି ଭୌଗଳିକ ଦୃଷ୍ଟି କୋଣରୁ କେତେବେଳେ ଯେ ମାଓବାଦୀଙ୍କ ଆକ୍ରମଣର ଶିକାର ପାଲଟିବେ ତାହା କେହି ଜାଣନ୍ତି ନାହିଁ। ତେଣୁ ଲୋକେ ନିଜ ଗାଁକୁ ନିଜେ ସୁରକ୍ଷା ଦେଇ ଜାଗ୍ରତ ପ୍ରହରୀ ପାଲଟିଛନ୍ତି।

ସେହିପରି ମହିଳାମାନେ ଗାଁର ଶେଷ ମୁଣ୍ଡକୁ କିମ୍ବା ବାହାରକୁ ପାଣି ପାଇଁ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ପ୍ରାୟ ସବୁ ଗାଁରେ ଲୋକେ ପାଳି କରି ନିଜ ନିଜ ଗ୍ରାମକୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ରାତି ତମାମ ଗାଁ ମୁଣ୍ଡରେ ଛକି ରହୁଛନ୍ତି। ଶୀତକୁ ଖାତିରି ନକରି ଲୋକେ ନକ୍ସଲକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛନ୍ତି। ମାଓବାଦୀଙ୍କ ବନ୍ଧୁକ ମୁନକୁ ନଡରି ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ରକୁ ଧରି ଜଗି ରହିଛନ୍ତି। ନକ୍ସଲ ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରନ୍ତି। ଏହା ସମସ୍ତ ଗ୍ରାମବାସୀ ଜାଣନ୍ତି। କିନ୍ତୁ ନକ୍ସଲଙ୍କ ଆଗରେ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରନ୍ତି ନାହିଁ।

ପ୍ରଜାକୋର୍ଟରେ ନକ୍ସଲ ଯାହା କୁହନ୍ତି ସେଥିରେ ଗ୍ରାମବାସୀ ହଁ ମାରନ୍ତି। ଏବେ ବି ପଣସପୁଟ ଏବଂ ଯନ୍ତ୍ରୀ ପଞ୍ଚାୟତ ମାଓବାଦୀଙ୍କ କବଜାରେ ରହିଛି। ଏହି ଅଂଚଳରେ ନକ୍ସଲ ନିଜର ଗୋଟି ଚାଳନା କରୁଛନ୍ତି। ଏହି ଅଂଚଳର ଲୋକଙ୍କୁ ବିଏସଏଫ ସୁରକ୍ଷା ଦେଉଥିବା ଗ୍ରାମଗୁଡିକର ଲୋକଙ୍କ ବିରୋଧରେ ମତାଉଛନ୍ତି। ସ୍ୱାଭିମାନ ଅଂଚଳକୁ ଦୁଇ ଭାଗ କରିଦେଇଛନ୍ତି ନକ୍ସଲ। ଗ୍ରାମବାସୀମାନେ ପୁଲିସ ଓ ବିଏସଏଫ ସହ ସାମିଲ ହୋଇଥିବାରୁ ନକ୍ସଲ ଏହେ ରକ୍ତମୁଖା ହୋଇଯାଇଛନ୍ତି। କୌଣସି ମୁହର୍ତ୍ତରେ ମଧ୍ୟ କାହାକୁ ବି ଟାର୍ଗେଟ କରିପାରନ୍ତି।

ସ୍ୱାଭିମାନ ଅଂଚଳରେ ବିଏସ୍‌ଏଫ୍‌, ଡିଭିଏଫ ଓ ଏସ୍‌ଓଜି ବାହିନୀ ଲୋକଙ୍କୁ ଯେତେ ସୁରକ୍ଷା ଦେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ମନରେ ଏବେ ବି ନକ୍ସଲ ଭୟ ସ୍ପଷ୍ଟ ବାରି ହୋଇପଡୁଥିଲା। ନିଜ ଅତି ନିକଟରୁ ନକ୍ସଲଙ୍କ ହିଂସା ଦେଖିଛନ୍ତି। ତେଣୁ କେତେ ଦିନ ସୁରକ୍ଷାକର୍ମୀ ତାଂକୁ ସୁରକ୍ଷା ପ୍ରଦାନ କରିବେ ବୋଲି ସେମାନେ ଜାଣିଥିଲେ ମଧ୍ୟ ଏହି ସମୟରେ ହିଁ ଆମେ ଏକତ୍ରୀତ ହୋଇ ନକ୍ସଲ ବିରୋଧରେ ଲଢେଇ ଆରମ୍ଭକରିବାକୁ ପଡିବ ବୋଲି ଲୋକେ ମନସ୍ତ କରିଛନ୍ତି। ଏହି ଅଂଚଳରେ ବସୁଥିବା ବିଭିନ୍ନ ହାଟକୁ ମହିଳାମାନେ ହିଁ ଯାଉଛନ୍ତି। ପୁରୁଷମାନେ ଗଲେ ହୁଏତ ନକ୍ସଲ ସେମାନଙ୍କୁ ସହଜରେ ଟାର୍ଗେଟ କରିପାରନ୍ତି ବୋଲି ଆଶଂକା କରିଛନ୍ତି। ପୁଲିସର ସୁରକ୍ଷା ଯୋଗୁଁ ଗ୍ରାମବାସୀଙ୍କ ମନବଳ ଦ୍ଵିଗୁଣିତ ହୋଇଛି। ସେମାନେ ଏଥର ନକ୍ସଲକୁ ସାମ୍ନା କରିପାରିବେ। ବିକାଶକୁ ଆଗକୁ ନେବେ ବୋଲି କହନ୍ତି।

The post ମାଓବାଦୀଙ୍କ ବିରୋଧରେ ଜାଗ୍ରତ ପ୍ରହରୀ, ସୁରକ୍ଷାକର୍ମୀଙ୍କ ଯୋଗୁଁ ଗ୍ରାମବାସୀଙ୍କ ମନୋବଳ ବଢିଲା first appeared on Sambad.



from ବିଶେଷ – Sambad https://ift.tt/37M5bN6

Post a Comment

0 Comments