
ଲଦାଖ: କୁହାଯାଏ କିଛି ବଡ଼ କରିବା ପାଇଁ ଲିଙ୍ଗ, ବୟସ, ପରିସ୍ଥିତି କିଛି ବି ଫରକ ପକାଏ ନାହିଁ। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହା ପ୍ରମାଣ କରି ଦେଖାଇଛନ୍ତି ଜଣେ ଲଦାଖୀ ମହିଳା। ତାଙ୍କ ନାମ ଗୁରମିତ ଆଙ୍ଗୋମ। ସେ ତାଙ୍କ ଚେଷ୍ଟା ବଳରେ ବିଦ୍ୟୁତ୍ ନଥିବା ପ୍ରାୟ ୫୦ଟି ଗ୍ରାମକୁ ସୌର ଆଲୋକ ଯୋଗାଇବାରେ ସଫଳ ହୋଇଛନ୍ତି।
ତାଙ୍କ ପିଲାଦିନକୁ ମନେ ପକାଇ ଗୁରମିତ କହନ୍ତି କି ସୂର୍ଯ୍ୟାଲୋକରେ ହିଁ ତାଙ୍କ ପିଲାଦିନ କଟିଛି। ସେ ଯେତେବେଳେ ପିଲା ଥିଲେ ସ୍କୁଲ୍ରୁ ଆସି ତତ୍କ୍ଷଣାତ ନିଜ କ୍ଷେତକୁ ପଳାଉଥିଲେ କ୍ଷେତ କାମରେ ବାପମାଆଙ୍କୁ ସାହାଯ୍ୟ କରିବାକୁ। ସେଠାରେ ଫେରି ଘରେ ପୁଣି ମାଆଙ୍କୁ ରୋଷେଇ କାମରେ ସହାଯ୍ୟ କରିବାରେ ଲାଗି ପଡୁଥିଲେ। କାରଣ ତାଙ୍କୁ ସୂର୍ଯ୍ୟ ଅସ୍ତ ପୂର୍ବରୁ ରୋଷେଇ ସାରିବାକୁ ପଡୁଥିଲା। ନହେଲେ ରାତି ହେଲେ ସେ ଆଉ କିଛି କରିପାରୁନଥିଲେ।
ଗୁରମିତ ଆଙ୍ଗୋମଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ସେ ପ୍ରଥମେ ଲେହ ଯାତ୍ରା ସମୟରେ ଏକ ଲାଇଟ ବଲ୍ବ ଦେଖିଥିଲେ। ସେହି ବଲ୍ବଟି ଦେଖିବା ପରେ ତାଙ୍କର ନିଜ ଅଞ୍ଚଳକୁ ଆଲୋକିତ କରିବାର ଭାବନା ମୁଣ୍ଡରେ ପଶିଲା। ସୂର୍ଯ୍ୟ ଅସ୍ତ ହେବା ପରେ ବି ତାଙ୍କ ଗ୍ରାମ କିପରି ଆଲୋକିତ ହୋଇପାରିବ ସେ ସେହି ବିଷୟରେ ଭାବୁଥିଲେ।
ତାଙ୍କର ପିଲାଦିନର ସେହି ଭାବନା ପାଇଁ ସେ ୩୬ ବର୍ଷ ବୟସରେ, ଦୁଇଟି ପିଲାଙ୍କ ମାଆ ହେବା ପରେ ଆଜି ଗ୍ଲୋବାଲ୍ ଇଞ୍ଜିନିୟରିଂ ଏକ୍ସପେଡିସନ୍(ଜିଏଚ୍ଇ) ର ଜଣେ କର୍ମଚାରୀ। ନିଜର ହାଇସ୍କୁଲ୍ ଶିକ୍ଷା ଶେଷ ନକରିଥିଲେ ମଧ୍ୟ ଗୁରମିତ ଆଜି ୫୦ଟି ଗାଁକୁ ସୌରଶକ୍ତି ସାହାଯ୍ୟରେ ଆଲୋକ ଯୋଗାଇ ପାରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦୂରବର୍ତ୍ତୀ ଗ୍ରାମଗୁଡ଼ିକୁ ସୌରାଲୋକ ଯୋଗାଇବାରେ ଜିଏଚ୍ଇ ହେଉଛି ବିଶ୍ୱର ପ୍ରଥମ ସଂଗଠନ। ଏହି ସଂଗଠନ ୨୦୧୩ ମସିହାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ପାରାସ୍ ଲୁମ୍ବାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା।
The post ସାଧାରଣ ମହିଳାରୁ ସୌର ଇଞ୍ଜିନିୟର ସାଜି ୫୦ଟି ଗାଁକୁ ଆଲୋକ ଯୋଗାଇ ଦେଲେ ଏହି ଲଦାଖୀ ମାଆ first appeared on Sambad.
from ବିଶେଷ – Sambad https://ift.tt/36jeu7L
0 Comments