ମାଲିକଙ୍କୁ ଖୋଜିଖୋଜି ୨୬ଦିନ ପରେ ୬୦କିମି ରାସ୍ତା ଅତିକ୍ରମ କରି ଘରେ ପହଞ୍ଚିଲା ହଜିଯାଇଥିବା କୁକୁର

ନୂଆଦିଲ୍ଲୀ: ପଶୁପକ୍ଷୀମାନଙ୍କ ମଧ୍ୟରୁ କୁକୁରକୁ ସବୁଠାରୁ ବିଶ୍ବାସଯୋଗ୍ୟ ପ୍ରାଣୀ ବୋଲି କୁହାଯାଇଥାଏ। ବିପଦ ସମୟରେ କୁକୁର ମାଲିକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ନିକଟରେ ଏକ କୁକୁର ନିଜର ମାଲିକ ଠାରୁ ଅଲଗା ହୋଇ ଯାଇଥିଲା। ଆଉ ମାଲିକ ପାଖରେ ପହଞ୍ଚିବା ପାଇଁ ସେ ୨୬ ଦିନରେ ୬୦କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ଏମିତି ଏକ ଘଟଣା ଚୀନରୁ ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଚୀନର ହଙ୍ଗୁରେ ବସବାସ କରୁଥିବା ମିଷ୍ଟର କିଉ ଓ ତାଙ୍କ ପରିବାର କିଛିଦିନ ତଳେ ଏକ ଯାତ୍ରାରେ ବାହାରିଥିଲେ। ଯାତ୍ରା ସମୟରେ କ୍ଲାନ୍ତ ହୋଇପଡ଼ିଥିବାରୁ ଘର ଠାରୁ ୬୦କିମି ଦୂରରେ ଥିବା ଟଙ୍ଗ ଲୁ ସର୍ଭିସ ଷ୍ଟେସନରେ ବିଶ୍ରମା ପାଇଁ ସୋମାନେ ଅଟକିଥି‌ଲେ। ବିଶ୍ରାମ ନେଇ ଯେତେବେଳେ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲେ କିଛି ବାଟରେ କିଉ ତାଙ୍କର କୁକୁରକୁ ଆଣି ନଥିବା କଥା ମନେ ପଡ଼ିଥିଲା। ଏହାପରେ ସେ ପୁଣିଥରେ ସର୍ଭିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଦୁଇଘଣ୍ଟା ସମୟ ଅପେକ୍ଷା କରିଥିଲେ କିନ୍ତୁ ତାଙ୍କ ପୋଷା କୁକୁର ଡୋଉ‌ ଡୋଉକୁ ଆଉ ପାଇ ନଥିଲା।


ମିଷ୍ଟର କିଉ ଓ ତାଙ୍କ ପରିବାର ଲୋକ ମନ ଦୁଃଖରେ ସେଠାରୁ ଚାଲି ଆସିଥିଲେ। କିନ୍ତୁ କୁକୁର ମାଲିକକୁ ନପାଇ ହାର ମାନି ନଥିଲା। ‌ସେ ରାସ୍ତା ଖୋଜିଖୋଜି ନିଜ ମାଲିକ ଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୬୦କିମି ପଥ ଅତିକ୍ରମ କରିଥିଲା। ଆଉ ଏହି ପଥ ଅତିକ୍ରମ କରିବାକୁ ଡୋଉ ଡୋଉକୁ ୨୬ଦିନ ଲାଗିଥିଲା। ତେବେ ହଠାତ କିଉ ନିଜ ପୋଷାକୁକୁରକୁ ଘରେ ପାଇ ଖୁସିରେ କାନ୍ଦି ପକାଇଥିଲେ।

ଏତେଦିନ ଧରି କୁକୁରଟି ବାହାରେ ରହିବା ସହିତ ଖାଇବାକୁ ଠିକ ଭାବେ ପାଇ ନଥିବାରୁ ଦୁର୍ବଳ ହୋଇପଡ଼ିବା ସହିତ ଅପରିଷ୍କାର ବି ହୋଇଯାଇଥିଲା। ତେବେ ପୁଣିଥିରେ ଡୋଉଡୋଉ ତାର ମାଲିକଙ୍କୁ ଫେରି ପାଇଥିବାର ଖୁସି ତାର ଆଖିରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।

The post ମାଲିକଙ୍କୁ ଖୋଜିଖୋଜି ୨୬ଦିନ ପରେ ୬୦କିମି ରାସ୍ତା ଅତିକ୍ରମ କରି ଘରେ ପହଞ୍ଚିଲା ହଜିଯାଇଥିବା କୁକୁର first appeared on Sambad.



from ବିଶେଷ – Sambad https://ift.tt/2HDSJW9

Post a Comment

0 Comments